27/08/2025
ଓଡ଼ିଆ ଭାଷାର ପ୍ରଥମ ଗଣେଶ ବନ୍ଦନା
ସାରଳା ଦାସଙ୍କ ମହାଭାରତର ଆରମ୍ଭ ଅଧ୍ୟାୟ
The first recorded Gaṇeśa Bandanā (praise of Lord Ganesh) in the Odia language appeared in the opening chapter of Sāraḻā Dāsa's Mahābhārata in the 15th century.
ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ
ଯାହାର ପ୍ରସନ୍ନେ (ଦ୍ରଶନେ) ସିଦ୍ଧ ହୁଅଇ ସର୍ବକାର୍ଯ୍ୟ ।୧ ।
ସକଳ ବିଘ୍ନବିନାଶନ ଜୟତୁ ଗଜାନନ
ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀନନ୍ଦନ ।୨ ।
ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ
ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ ।୩ ।
ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି
ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି ।୪ ।
ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର
ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର ।୫ ।
ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା
ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା ।୬ ।
ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା
ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା ।୭ ।
ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ
ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ ।୮ ।
ତୋଷେଣ ବର ତୋତେ ଦେଲେକ ଦେବରାଜା
ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା ।୯ ।
ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ
ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ ।୧୦ ।
ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି
ତୁ ଲେଖନ କର ଶୁଭ ଅନକୂଳ ଘେନି ।୧୧ ।
ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ
ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି ।୧୨ ।
ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ
ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀ ତଟ ।୧୩ ।
ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁ ଥାନେ
ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ ।୧୪ ।
ବଟର ତଳେ ସେ ବସିଲେ ଯୋଗଧ୍ୟାନେ
ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ ।୧୫ ।
ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ
ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି ।୧୬ ।
ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ
ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ ।୧୭ ।
ଗିରିଜାର ନନ୍ଦନ ସତ ମତି ଧ୍ୟାନେ
ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ ।୧୮ ।
ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ
ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ । ୧୯ ।
କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ
ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ ।୨୦ ।
ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା
ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା ।୨୧ ।
ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା
ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା ।୨୨ ।
ଶିଖିପୁଚ୍ଛମଉଳି ବତିଶଗୁଣେ କଳା
ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା ।୨୩ ।
ଦିବାରାତ୍ର ନ ଜାଣଇଂ ଯେବଣ ମହାତମା
ଅନନ୍ତକାଳ ବଞ୍ଚାଇଲା ସେ ପୁରୁଷଉତ୍ତମା ।୨୪ ।
ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି
ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି ।୨୫ ।
ଶ୍ରୀ ବିଘ୍ନନାଥ ଚରଣେ ମୋର ସେବା
ୟେ ଶ୍ରୀମହାଭାରଥ କହିବି ମୋତେ ପ୍ରସନ୍ନ ହୋଇବା ।୨୬ ।
ତବ ପଦ୍ମପାଦେ ମୋର ବିନୟ ଭଗତି
ପର୍ଶୁଧର ନାଥ ତୁ ସଦୟେ ଗଣପତି ।୨୭ ।
ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ
ଗ୍ରନ୍ଥ ଭିଆଇଲୁ ତୁ ଭୁତ ଭବିଷ୍ୟ ବର୍ତ୍ତମାନେ ।୨୮ ।
ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ
ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ ।୨୯ ।
(ଗଣେଶଙ୍କ ବନ୍ଦନା, ଆଦିପର୍ବ, ମହାଭାରତ, ପଞ୍ଚଦଶ ଶତାବ୍ଦୀ)
Image: Installation by Atasi Panda